ବ୍ରହ୍ମପୁରର ଆରାଧ୍ୟଦେବୀ ମା’ ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଦ୍ଵିବାର୍ଷିକ ଯାତ୍ରାର ପଞ୍ଚମ ଦିନରେ ମା’ଙ୍କ ଧର୍ମଝଣ୍ଟାକୁ ସ୍ଥାପନ କରାଯାଇଛି। ଘଟ ପରିକ୍ରମାର ତୃତୀୟ ଦିନରେ ମା’ଙ୍କ ପ୍ରିୟ ବିଞ୍ଛଣା ରଥ, ମା’ ଶ୍ୟାମାକାଳୀ କଳାକୁଞ୍ଜ, ଜ୍ଵାଳାମୁଖୀ, ଲାଗିଛି ସଂପ୍ରତି ଦଣ୍ଡନାଚ ଚାଲିଥିବା ବେଳେ ପ୍ରତ୍ୟେକ ଦିନ ଦଣ୍ଡୁଆମାନେ ମା’ଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଆଜି ଠାରୁ ମା’ଙ୍କ ପ୍ରତୀକ ଧର୍ମଝଣ୍ଡା ନିକଟରେ ଭକ୍ତ ପଣାପାଣି ଭୋଗ ଅର୍ପଣ କରୁଥିବା ବେଳେ ବହୁ ମାନସିକଧାରୀ ଶଙ୍ଖୁଡ଼ିଭୋଗ କରିଥିଲେ ।
ଶିବାରୁଦ୍ରା କାଳୀ, ମା’ ଜ୍ବଳା, ବୋଇତ ଓ ଜନକଦୁର୍ଗା ରଥକୁ ଆମନ୍ତ୍ରଣ କରାଯାଇଛି। ଆଜି ପ୍ରାତଃ ୪ଟାରୁ ମା’ଙ୍କ ଦେବନୀତି ସମାପନ ହୋଇ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା ସଂଧ୍ୟା ଆଳତି ପରେ ଘଟ ପରିକ୍ରମାର ତୃତୀୟ ଦିନରେ ମା’ଙ୍କ ଘଟ ଅସ୍ଥାୟୀମଣ୍ଡପରୁ ବାହାରି ରାଜବାଟୀ ଯାଇଥିଲେ। ମହୁରୀ ରାଜା ମା’ଙ୍କୁ ପୂଜାର୍ଚ୍ଚନା କରିବା ପରେ ମା’ଙ୍କ ଘଟ ମହୁରୀ ରାଜା ରୋଡ଼ରୁ ପ୍ରତ୍ୟାବର୍ତ୍ତନ କରି ପୁଣି ଦେଶୀବେହେରା ସାହି ଦେଇ ଗୁଡ଼ଗୁଜି ହୋଇ ବାଚୁବାରୀ ସାହି ଠାରେ ମା’ଙ୍କ ପ୍ରିୟ ବିଞ୍ଛଣା ରଥକୁ ଆମନ୍ତ୍ରଣ କରାଯାଇଥିଲା ସେଭଳି ବାଚୁବାରୀ ସାହି ଛକ ଠାରେ ମା’ ଶ୍ୟାମାକାଳୀ କଳାକୁଞ୍ଜ, ଷଣ୍ଢମହାନ୍ତି ସାହି ଠାରେ ଶିବାରୁଡ଼ା କାଳୀ ରଥକୁ ନିମନ୍ତ୍ରଣ କରିଥିଲେ। ଷଣ୍ଢମହାନ୍ତି ସାହି ନିକଟସ କାଳୁପାତ୍ର ସାହି ପରିକ୍ରମା କରି ସେଠାରେ ଜ୍ଵାଳାମୁଖୀ ରଥକୁ ଆମନ୍ତ୍ରଣ କରି ପୁଣି ଷଣ୍ଢମହାନ୍ତି ସାହି ପାର କରି ଜେଦାରେଶ୍ଵର ମନ୍ଦିର ରୋଡ ଛକ ଠାରେ ମା’ଜ୍ବାଳା ରଥକୁ ଆମନ୍ତ୍ରଣ କରି ଆଗା ସାହି ଠାରେ ମା’କନକ ଦୁର୍ଗା ରଥକୁ ଆମନ୍ତ୍ରଣ କରିଥିଲେ । ସେଭଳି ଚନ୍ଦ୍ରମା ସାହି ଠାରେ ବୋଇଡ ରଥକୁ ଆମନ୍ତ୍ରଣ କରି ନଡ଼ିଆ ବଜାର ଦେଇ ଦେଶୀବେହେରା ସାହିସ୍ଥିତ ଅସ୍ଥାୟୀ ମଣ୍ଡପରେ ପ୍ରବେଶ କରିଥିଲେ। ପ୍ରତିଦିନ ଭଳି ଆଜି ମା’ଙ୍କ ପଣାଭୋଗ ପରେ ରାତ୍ରୀଭୋଗ କରାଯାଇ ବିଶ୍ରାମ ଦିଆଯାଇଥିଲା। ଆଜି ମା’ଙ୍କ ମୁଖ୍ୟଘଟକୁ ଦେଶୀବେହେରାଙ୍କ ପତ୍ନୀ ପି. ଦେବକୀ ବହନ କରିଥିବା ବେଳେ ଅନ୍ୟ ୮ଟି ପାର୍ଶ୍ଵଘଟକୁ ଡେରା ସଂପ୍ରଦାୟର ମହିଳାମାନେ ବହନ କରିଥିଲେ।
ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ରହିଛି ଅନେକ କଂବଦନ୍ତୀ ଓ ବିଶେଷତ୍ଵ ମା’ ନିଜସ୍ବ ମନ୍ଦିରରୁ ବାହାରି ବାପଘରକୁ ଆସି ଦେଶୀବେହେରା ସାହିସ୍ଥିତ ଅବସ୍ଥାନର ଅସ୍ଥାୟୀ ମଣ୍ଡପରେ ଗୋଟିଏ ଦିନପରେ ଆରମ୍ଭ ହୁଏ ଘଟ ପରିକ୍ରମା । ଅସ୍ଥାୟୀମଣ୍ଡପରୁ ମା’ଙ୍କ ଘଟ ଉଠିବା ପରେ ପ୍ରଥମେ ବାପଘରୁ ଆଳତି ଓ ଭୋଗସାରି ମେଲାଣି ମାଗିବା ପରେ ସାହି ପରିକ୍ରମା କରନ୍ତି। ପ୍ରତିଦିନ ଘଟ ପରିକ୍ରମା ବେଳେ ମା’ ରାଜବାଟୀକୁ ଯାଇ ରାଜାଙ୍କୁ ଦର୍ଶନ ଦେବା ଭିତରେ ଅନେକ ରହସ୍ୟ ରହିଥିବା କୁହାଯାଏ । ପୂର୍ବରୁ ସମସ୍ତ ଦେଶ ଓ ରାଜ୍ୟ ଗଡ଼ଜାତ ରାଜାରାଜୁଡାଙ୍କ ଅଧୀନରେ ରହୁଥିଲା। ରାଜାରାଜୁଡ଼ା ସମୟରେ ଲୋକେ ବାହାରକୁ ଗଲେ ରାଜାଙ୍କ ଅନୁମତି ବିନା ଯାଉନଥିଲେ। ବିନା ଅନୁମତିରେ ଯାଉଥିବା ଲୋକଙ୍କ ସଂପର୍କରେ ରାଜାଙ୍କ ଅଧସ୍ତନ କର୍ମଚାରୀ ରାଜାଙ୍କୁ ସୂଚନା ଦେଉଥିଲେ। ଯେଉଁ ସମୟରୁ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥିଲା ସେହି ସମୟରେ ରାଜାରାଜୁଡ଼ା ଶାସନ ଥିଲା। ରାଜାଙ୍କ ଆଦେଶ ମୁତାବକ ସମସ୍ତ କାର୍ଯ୍ୟ ସଂପାଦନ ହେଉଥିଲା। ଦେଶୀବେହେରା ବାପଙ୍କ ଘର ନିକଟରେ ମହୁରୀ ରାଜାଙ୍କ ବାସଭବନ ଥିବା ବେଳେ ମା’ଙ୍କ ବାପା ଦେଶୀବେହେରା ଘଟ ପରିକ୍ରମା ବେଳେ ପ୍ରଥମେ ରାଜବାଟୀକୁ ଯାଇ ମହୁରୀ ରାଜାଙ୍କୁ ଭେଟି ଅନୁମତି ଭିକ୍ଷା କରିଥିଲେ କାଳକ୍ରମେ ପରମ୍ପରା ଅନୁଯାୟୀ ଆଜି ବି ସେହି ପ୍ରଥା ଜାରି ରହିଥିବା କୁହାଯାଏ ଲୋକକଥା ଅନୁଯାୟୀ ରାଜରାଜୁଡ଼ା ଶାସନକାଳରେ ସମସ୍ତ ଦେବଦେବୀଙ୍କୁ ରାଜାମାନେ ପ୍ରତିଷ୍ଠା କରିଥିବା ଯୋଗୁଁ ସେମାନେ ପ୍ରଥମେ ଦର୍ଶନ କରିବା ପରେ ଅନ୍ୟମାନେ ଦର୍ଶନ କରନ୍ତି ବୋଲି କୁହାଯାଏ। ରାଜା ମା’ଙ୍କ ପ୍ରଥମ ସେବକ ହୋଇଥିବାରୁ ଘଟ ପରିକ୍ରମା ବେଳେ ରାଜବାଟୀକୁ ଯାଇ ଦର୍ଶନ ଦେଇ ନଗର ପରିକ୍ରମା ବାହାରୁଥିବା ଲୋକକଥା ରହିଛି।