ବ୍ରହ୍ମପୁର ଆରାଧ୍ୟ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆଜିଠୁ ଆରମ୍ଭ

ବ୍ରହ୍ମପୁରର ଐତିହାସିକ ମା’ବୁଢ଼ୀସାଆନ୍ତାଣୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରାର କିମ୍ବଦନ୍ତୀ ଅତି ପ୍ରାଚୀନା ମା’ଙ୍କ ଆର୍ବିଭାବର ଦୀର୍ଘବର୍ଷ ପରେ ଯାତ୍ରା ଆରମ୍ଭ ହୋଇଥିବା ଅନୁମାନ କରାଯାଇଛି। ପୂର୍ବରୁ ମା’ଙ୍କୁ ତେଲୁଗୁ ସଂପ୍ରଦାୟ ପକ୍ଷରୁ ସେବା କରାଯାଇ ଆସୁଥିବା ନଜିର ରହିଛି। କାଳକ୍ରମେ ଏହା ଭଣ୍ଡାରୀ ଜାତି ପକ୍ଷରୁ ସେବା କରାଯିବା ପରେ ମା’ଙ୍କ ଯାତ୍ରାକୁ ଡେରା ସଂପ୍ରଦାୟ ପକ୍ଷରୁ ପରିଚାଳନା କରାଯାଉଥିଲା | ପ୍ରାୟ ୩ ଶହ ବର୍ଷ ତଳେ ଗଡ଼ଜାତ ଶାସନକାଳରୁ ଆରମ୍ଭ ହୋଇଥିବା ଉକ୍ତ ଯାତ୍ରା ବଂଶ ପରମ୍ପରା ଉପରେ ଆଧାରିତ ବହୁ ପୁରାତନ ବ୍ୟକ୍ତିଙ୍କ କହିବାନୁସାରେ ୧୭ଶହ ମସିହାରୁ ଆରମ୍ଭ ହୋଇଥିବା ମା’ଙ୍କ ଯାତ୍ରାକୁ ପ୍ରଥମେ ଡେରାକୁଳର ଜନୈକ ବ୍ୟକ୍ତି ସଂପ୍ରଦାୟର ସହଯୋଗ କରିଥିଲେ । ଡେରା ସଂପ୍ରଦାୟର ପାତଲା ପାରେୟା ଦେଶୀବେହେରା ହେଉଛନ୍ତି ମା’ଙ୍କର ଜଣେ ବଡ଼ଭକ୍ତ। ସ୍ବର୍ଗତ ପାରେୟା ପ୍ରତ୍ୟେକ ଦିନ ପୂର୍ବାହ୍ନ ଓ ସନ୍ଧ୍ୟାରେ ମା’ଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରନ୍ତି ଏଭଳି ଭାବେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ଥିଲା । ବର୍ତ୍ତମାନର ମା’ଙ୍କ ମନ୍ଦିର ବହୁ ଜନବସତି ଭିତରେ ଥିବା ବେଳେ ପୂର୍ବରୁ ଉକ୍ତ ସ୍ଥାନ ବଣଜଙ୍ଗଲ ହୋଇ ପଡ଼ି ରହିଥିଲା। ସେ ପ୍ରତ୍ୟେକ ଦିନ ବଣଜଙ୍ଗଲ ରାସ୍ତାରେ ଆସି ମା’ଙ୍କୁ ଦର୍ଶନ କରି ଫେରନ୍ତି। ଏଭଳି ଭାବେ ଦର୍ଶନ କରି ଫେରିବା ବେଳେ ଦିନେ ବିଳମ୍ବିତ ସନ୍ଧ୍ୟାରେ ନିଛାଟିଆ ବଣଜଙ୍ଗଲ ରାସ୍ତାରେ ଏକ ଝିଅର କାନ୍ଦ ଶୁଣିବାକୁ ପାଇଲେ। କାନ୍ଦ ଆସୁଥିବା ଦିଗକୁ ଅନୁମାନକରି ପାରେୟା ଯାଇ ଦେଖିଲେ ଏକ କମ୍ ବୟସର ଝିଅଟିଏ ରାସ୍ତା ଉପରେ ଛିଡ଼ା ହୋଇ କାନ୍ଦୁଛି। ଝିଅ ନିକଟକୁ ପାରେୟା ଯାଇ କାରଣ ଜାଣିବାକୁ ଚେଷ୍ଟା କରିବା ସହ ଝିଅକୁ ଆଶ୍ଵାସନା ଦେଲେ। ପାରେୟାର ଆଶ୍ଵାସନାବାଣୀ ଶୁଣି ଝିଅ ବାଟହୁଡ଼ି ବାପଘରକୁ ଯିବା ପାଇଁ ରାସ୍ତା ପାଉନାହିଁ ବୋଲି ସୂଚନା ଦେଲେ ପାରେୟା ଝିଅର ବାପନାମ ପଚାରିବା କ୍ଷଣି ଝିଅ ଜାଣିନାହିଁ କହିବା ପରେ ବର୍ତ୍ତମାନ ରାତି ବେଶୀ ହେଲାଣି କେଉଁ ଆଡ଼େ ଯିବୁ, ମୁଁ ତୋ ବାପପରି ଚାଲ ଆଜି ରାତିକ ମୋ ଘରେ ରହିବୁ କାଲିକୁ ତୋ ବାପର ପରିଚୟ ଖୋଜି ନିଜେ ନେଇ ବାପଘରେ ଛାଡ଼ିଦେଇ ଆସିବି ବୋଲି କହିବା ପରେ ଝିଅଟି କିଛି ସମୟ ଚୁପ୍ ରହିଥିଲା। ପରେ ହଠାତ ଉକ୍ତ ସ୍ଥାନରୁ ଝିଅ ଅନ୍ତର୍ଦ୍ଧାନ ହୋଇଯାଇଥିଲା। ଅନ୍ଧାର ରାତିରେ ପାରେୟା କ୍ରନ୍ଦନରତ ଝିଅ କେଉଁଆଡ଼େ ଅନ୍ତର୍ଦ୍ଧାନ ହେବା ଦେଖି ସ୍ତମ୍ଭିଭୁତ ହୋଇ ମନଦୁଃଖରେ ନିଜ ଘରକୁ ଫେରିଲେ । ରାତିରେ ପତ୍ନୀଙ୍କୁ ସମସ୍ତ ଘଟଣା ସଂପର୍କରେ ଅବଗକତ କରାଇବା ପରେ ମଧ୍ୟ ରାତିରେ ନିଦ୍ରାରତ ପାରେୟାଙ୍କୁ ମା’ ସ୍ବପ୍ନରେ ଆସି ସନ୍ଧ୍ୟାବେଳର ସମସ୍ତ ଘଟଣା ସଂପର୍କରେ ମନେପକାଇବା ପରେ ଆଜି ଠାରୁ ତୁ ମୋର ବାପ ହେଲୁ ବୋଲି କହିବା ସହ ମୋତେ ଝିଅ ଭାବେ ଘରକୁ ଆଣିବାକୁ ସୂଚନା ଦେଇଥିଲେ। ରାତିର ସମସ୍ତ ବୃତ୍ତାନ୍ତ ପାରେୟା ନିଜର ଜାତି ଭାଇମାନଙ୍କୁ କହିବା ପରେ ସଂପ୍ରଦାୟ ପକ୍ଷରୁ ମା’ଙ୍କୁ ଆଣିବା ପାଇଁ ସ୍ଥିର କରିଥିଲେ। ତେବେ କେଉଁସମୟରେ ମା’ଙ୍କୁ ଅଣାଯିବ ସେନେଇ ଭାବନା ଚାଲିବା ପରେ ମା’ପୁଣି ପାରେୟାକୁ ସ୍ବପ୍ନରେ ଆସି କହିଲେ ନିର୍ଦ୍ଧାରିତ ସମୟରେ ମୁଁ ପୁଣି ଆସିବା ପାଇଁ ସୂଚନା ପ୍ରଦାନ କରିବି। ସେହି ଅନୁସାରେ ପ୍ରସ୍ତୁତ ହୁଆ ପରେ ମା’ଙ୍କ ଆଦେଶକୁ ପାରେୟା ଓ ଡେରା ସଂପ୍ରଦାୟ ପକ୍ଷରୁ ଅପେକ୍ଷା କରିଥିଲେ। ନିର୍ଦ୍ଧାରିତ ସମୟରେ ମା’ଙ୍କ ଅନୁମତି ପାଇବା ପରେ ସଂପ୍ରଦାୟର ଲୋକଙ୍କ ଗହଣରେ ମା’ଙ୍କୁ ନିମନ୍ତ୍ରଣ କରି ଆଣି ଯାତ୍ରା ଆରମ୍ଭକରାଯାଇଥିଲା। ସେ ସମୟରେ ସଂପ୍ରଦାୟର ବିଭିନ୍ନ ଅଞ୍ଚଳର ଜଣେ ଜଣେ ସାହି ମୁଖିଆ ଥିଲେ | ସେମାନେ ସେନାପତି ଭାବେ ପରିଚିତ ଥିଲେ। ଏଭଳି ଭାବେ ବ୍ରହ୍ମପୁର ସହରକୁ ୭ଟି ଅଞ୍ଚଳରେ ବିଭକ୍ତ କରି ୭ଜଣ ସେନାପତିଙ୍କ ସହଯୋଗରେ ଯାତ୍ରା ପରିଚାଳନା କରି ଆସିଲେ। କାଳକ୍ରମେ ପାରେୟାଙ୍କ ପରେ ତାଙ୍କ ବଂଶାନୁକ୍ରମେ ପି.ଲିଙ୍ଗରାଜ ଦେଶୀବେହେରା, ପି.ପୋଲେୟା, ପି.ବିଶ୍ବନାଥ ଦେଶୀବେହେରା, ଦେଶୀବେହେରା ও ପି.ବାସବରାଜୁ ଦେଶୀବେହେରା ଯାତ୍ରା ପରିଚାଳନା କରିବା ପରେ ବାସବରାଜୁ ନିଜର ଏକ ପୁତ୍ରକୁ ଗୋସାଇଁ ବାପାଙ୍କ ନାମ ପୋଲେୟାଙ୍କ ନାମରେ ନାମିତ କରିଥିଲେ । ୧୯୦୧ ମସିହାରେ ଜନ୍ମଗ୍ରହଣ କରିଥିବା ପୋଲେୟା ଦେଶୀବେହେରା ୧୯୧୭ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରିଥିଲେ। ତାଙ୍କ ଧର୍ମପତ୍ନୀ ପାତଲା ଗୌରୀ ମହାଲକ୍ଷ୍ମୀ ରାଜମଣୀ ମା’ଙ୍କୁ ଆବାହନ କରିବା ସହ ମା’ଙ୍କ ଆଜ୍ଞାମାଳ ବହନ କରି ଘଟ ପରିକ୍ରମା କରୁଥିଲେ। ସ୍ବର୍ଗତ ପୋଲେୟାଙ୍କ ପୁତ୍ର ନଥିବାରୁ ନାତି ତଥା ସାନଝିଅ ଭି.ଲକ୍ଷ୍ମୀକାନ୍ତାଙ୍କ ଏକମାତ୍ର ପୁତ୍ର ଦୁର୍ଗାପ୍ରସାଦକୁ ପୁତ୍ରଭାବେ ଗ୍ରହଣ କରି ଯାତ୍ରା ପରିଚାଳନା କରିବାକୁ ଅନୁମତି ଦେଇଥିଲେ । ବର୍ତମାନର ଦେଶୀବେହେରା ପାତଲା ଦୁର୍ଗାପ୍ରସାଦ ଦେଶୀବେହେରା ସଂପ୍ରତି ୧୯୯୫ ମସିହାରୁ ମା’ଙ୍କ ଯାତ୍ରା ପରିଚାଳନା କରୁଥିବା ବେଳେ ଧର୍ମପତ୍ନୀ ପି.ଦେବକୀ ମା’ଙ୍କ ଆଜ୍ଞମାଳ ଆଣିବା ଓ ମା’ଙ୍କ ଘଟବ‌ହନକରି ଆସୁଛନ୍ତି । ଏହା ଛଡ଼ା ସଂପ୍ରଦାୟର ମହିଳାମାନେ ପୂର୍ବପରି ଅନ୍ୟ ୮ଟି ପାର୍ଶ୍ଵଘଟକୁ ବହନକରି ଯାତ୍ରା କାର୍ଯ୍ୟରେ ନିୟୋଜିତ ରହୁଥିବା ଜଣାପଡ଼ିଛି।

Posted in News.